Unknown

ପ୍ରାର୍ଥନା

ରାଜା ହରିଚନ୍ଦନ ଜଗଦେବ

 

 

କରୁଣାସାଗର ପ୍ରଭୁ, ଭବଭ୍ରାନ୍ତ ପଥେ

ଭ୍ରମି ଭ୍ରମି ଦିନ କଟିଯାଉଛି ମୋ ବ୍ୟର୍ଥେ ।

ନିବେଦୁଛି ତ୍ରସ୍ତେ ବ୍ୟସ୍ତେ ଯୋଡ଼ି ବେନି ପାଣି,

ସ୍ୱଗୁଣେ ସୁପଥେ ହରି ନିଅ ମୋତେ ଟାଣି ।

ହୋଇଣ ଅଜ୍ଞାନମନ୍ତ୍ରୀ ମନ୍ତ୍ରଣା ଅଧୀନ

ଭୁଲି ଶେଷଦିନ କଥା ହେଲି ଉଦାସୀନ ।

ନ ସେବି ମୁଁ ତବ ପଦ୍ମ ପୟର କଠାଉ

ସହୁଅଛି ସିନା ଏବେ ପାପତାପ ଦାଉ ।

 

ପାପତ୍ରୟ ତାପତ୍ରୟ ଖରେ ଦୂର କର,

ନୁହ ନିଷ୍କରୁଣ ଆଉ ହେ ମହିମାକର ।

ଜନ୍ମପୂର୍ବ ଦିବ୍ୟ ଜ୍ଞାନ ଯାଇଅଛି ଭୁଲି,

ଜନ୍ମିବି କି ଏହିମତି ପୁନଃ ପୁନଃ ବୁଲି ।

 

ଅତୀବ କଠୋର କ୍ଳେଶଦାୟକ ଜଠର-

ଶଯ୍ୟା ଭାଗ୍ୟେ ନ ଘଟାଅ ମାଗୁଛି ଏ ବର ।

ପାଇ ମୁଁ ତୁମ୍ଭରି ସମ ପିତା ଏ ଦୁର୍ବାର-

ଯାତନାରେ କିପାଇଁ ମା ହେବି ନାରଖାର ।

 

କରନ୍ତି କାହିଁକି ମୁହିଁ ତୁମ୍ଭ ଉପାସନା,

ନ ଥାନ୍ତା ଯଦ୍ୟପି ଘୋର ରୌରବ ଯାତନା ।

ତୁମ୍ଭେ ମୋ ସର୍ବସ୍ୱ ବୋଲି ଅଛି ଧୈର୍ଯ୍ୟେ ସିନା,

ନାହିଁ ଆନ ସାହା ଆହା ତବ ପଦ ବିନା ।

 

ରଖ ବା ନ ରଖ ଏହି ହୀନ ଅଭାଜନେ,

ପଶୁଛି ଶରଣ ତବ ଶରଣ୍ୟ ଚରଣେ ।

ଯାଉଛି ଅନନ୍ତ ରୁଦ୍ର ଜଳଧିରେ ଭାସି,

ନୈରାଶ୍ୟ-ତରଙ୍ଗ ଦେବ ମୁହୂର୍ତ୍ତକେ ଗ୍ରାସି ।

 

ନାହିଁ କେହି ଉବାବ୍‌ଧିରୁ କରିବାକୁ ପାର,

ତୁମ୍ଭେ ସିନା ଏକମାତ୍ର ଦକ୍ଷ କର୍ଣଧାର ।

ଆତ୍ମବିସ୍ମୃତିର କରୁ କର ହେ ଉଦ୍ଧାର,

ମୃତଦେହେ ହେଉ ପୁଣି ଜୀବନ ସଞ୍ଚାର ।

 

ପତିତପାବନ ବାନା ଆଉ କେବେ ଅବା

ଉଡ଼ି ମୋର ଭାଗ୍ୟ-ନଭେ ବିସ୍ତାରିବ ପ୍ରଭା ।

ପରୀକ୍ଷା ସକାଶେ ମୋତେ ପୁତ୍ତଳିକା ପରି

ନଚାଇଲେ ନାଚୁ ନାଚୁ ଯିବି ସିନା ସରି ।

 

 

ମାୟା ବିପଣୀରୁ ସୁଧା ଭ୍ରମେ ହେ ମୁରାରି,

କାଳକୂଟ କିଣି ଖାଇ ହେଲି ମୁହିଁ ଘାରି ।

କରୁଛି ଯେତିକି ଆହା ସାଧ୍ୱସେ ଆଶ୍ଳେଷ,

ତେତିକି ବଢ଼ୁଛି ପ୍ରାଣେ ମାରାତ୍ମକ କ୍ଳେଶ ।

 

କି ବିଚିତ୍ର ମାୟା ତବ ବୁଝି ପାରୁ ନାହିଁ,

ବେଳ ଥାଉଁ ସେ ରହସ୍ୟ ଦିଅ ହେ ବୁଝାଇ ।

ପରୀକ୍ଷା ଦେବାକୁ ପ୍ରଭୁ ନାହିଁ ଆଉ ବଳ,

କର ନାହିଁ ବାରମ୍ବାର ଏତେ କଲବଲ ।

 

ହର ବ୍ରହ୍ମା ଯେଉଁ ମାୟା ନ ପାରନ୍ତି କଳି,

ହେବି କାହୁଁ ମୁଁ ଛାର ତା କଳନେ କୁଶଳୀ ।

ଡାକିବ କେ ଆଉ ଅବା ବୋଲି ବାଞ୍ଛାନିଧି,

ମନୋବାଞ୍ଛା କିଞ୍ଚିତରେ ନ କଲେକ ସିଦ୍ଧି ।

 

ଦୀନବନ୍ଧୁ ନାମ ବହି କାହିଁକି ଏପରି

ଦୀନ ଜନେ ଏ ନିଷ୍ଠୁର ଭାବ ଅଛି ଧରି !

ଅଛି ତବ ପାପୀ ତାପୀ ଉଦ୍ଧାରିବା ଶକ୍ତି,

ତେଣୁ ସିନା ତୁମ୍ଭ ପ୍ରତି ଧାଉଛିଁ ଆସକ୍ତି ।

 

 

ନେଇଣ ଆଶ୍ରୟ କଳ୍ପ-ପାଦପର ଛାୟା,

ହୁଏ କିପାଁ ପାପାତପେ ସନ୍ତାପିତ କାୟା ।

ମୋ ପରି ପାମର ହେଲେ କୃପାରୁ ବଞ୍ଚିତ,

ନୋହିବ କି କୃପାସିନ୍ଧୁ ନାମ କଳଙ୍କିତ ।

 

ଚନ୍ଦ୍ରଠାରେ କରି ଆଶା ହେଲା ପରି ଶଶା,

ତୁମ୍ଭଙ୍କୁ ମୁଁ କରି ଆଶା ନ ଘଟୁ ସେ ଦଶା ।

ବିପତ୍ତିନାଶନ ହୋଇ ବିପତ୍ତି କବଜେ

ନିକ୍ଷେପିଲେ ପଥ ହୁଡ଼ି ଯିବି ରସାତଳେ ।

 

ପରୀକ୍ଷା ନିମିତ୍ତ ଯେତେ ଦିଅ ପଛେ ଶାସ୍ତି,

ଉଚ୍ଚାରିବି ନାହିଁ ତୁଣ୍ଡେ କେବେ ନାସ୍ତି ନାସ୍ତି ।

ଦେଉଅଛ ଯାହା ତୁମ୍ଭେ ନେଉଅଛ ତାହା,

ରହୁଅଛି ଅବଶେଷ ଭୁଞ୍ଜିବାକୁ ହାହା ।

 

ହେଉଅଛି ଅବସନ୍ନ ଭୁଲି ଆତ୍ମଜ୍ଞାନ,

କ୍ଷମାଗୁଣେ କ୍ଷମା କର ଆହେ କ୍ଷମାବାନ ।

ତୁମ୍ଭରି କରୁଣା ଊଣା ହେତୁ ଶୋକବ୍ୟାଧି

ଦେଉଛ ପ୍ରଶ୍ରୟ ପାଇ ଚେତନା ଆଚ୍ଛାଦି ।

 

 

ଆହା ବୋଲିବାକୁ ମୋର କେହି ନାହିଁ ସାହା,

ଅଜ୍ଞାନ ଅନ୍ଧାରେ କେଣେ ନ ଦିଶେ ଧୀ-ରାହା ।

ଏ ଦୁର୍ଭାର ବିପଜ୍ଜାଳେ କିଞ୍ଚିତ ମାତର

ବିତର କରୁଣା କଣା ଆହେ ପରାତ୍ପର ।

 

ଦର୍ଶାଅ ମୁକତି ପଥ ହୋଇ ମୋ ଆଶ୍ରୟ,

କରିବି ମୁଁ ପୁଣ୍ୟ କିଛି ସଯତ୍ନେ ସଞ୍ଚୟ ।

ଦେଖୁ ଦେଖୁ ମୋହ-ଦାବ ଏ ଦେହ-କାନନ

ଦହିଦିଏ ତା ଅଧୀନ ହେବାରୁ ଏ ମନ ।

 

କିଞ୍ଚିତ ମାତ୍ରାରେ ବୃଷ୍ଟି କଲେ କୃପାଜଳ

ହେବ ନିର୍ବାପିତ ସେହି ଉଗ୍ର ମୋହାନଳ ।

ଛଡ଼ାଇ ଆଳସ୍ୟ ପୁଣି ବିଳାସ ବାସନା

ଦିଅ ଦୀକ୍ଷା କରିବାକୁ ସେବା ଆରାଧନା ।

 

ମାତି ଅତି ବାସନାରେ ଆଶା-କୁହୁକରେ,

କ୍ରମଶଃ ମୁଁ ଅକର୍ମଣ୍ୟ ହେଲି ବିଭ୍ରମରେ ।

ଏ ଚିତ୍ତ ବିଦ୍ୟୁତବତ ହୋଇଣ ଅଥୟ

ବିଷୟରେ ହୋଇ ମତ୍ତ ହରାଇଛି ଲୟ ।

 

 

ବ୍ୟସନ ଦାବାଗ୍ନି ଶିଖେ ଅମୂଲ୍ୟ ସମୟ

ନ ଭାବି କରୁଛି ଦଗ୍‌ଧ ଭବିତବ୍ୟ ଭୟ ।

ଅପାର ଦୁର୍ଭାଗ୍ୟବଶେ ଭଲେ ମଣି ସଲ

ହେଉଛି ଏ ପ୍ରାଣ ମୋର ବଡ଼ କଲବଲ ।

 

ଲଗାଇ ମୋ ବିଷନେତ୍ରେ ସୁଜ୍ଞାନ-ଅଞ୍ଜନ

ଦିବ୍ୟ ଜ୍ୟୋତିର୍ମୟ ରୂପ କରାଅ ଦର୍ଶନ ।

ଅଗତିର ଗତି ଆହେ ଜଗତର ପତି,

ସଜ୍ଜନଗଣଙ୍କ ସଦା ପକ୍ଷପାତୀ ଅତି,

 

ନାହିଁ ନାହିଁ ଆଉ ମୋର ତୁମ୍ଭ ବିନା ଗତି,

ଖଣ୍ଡିବ କିଏ ମୋର ଏ ଘୋର ଦୁର୍ଗତି ।

ମାତା ପିତା ଦାରା ସୁତ ମାୟାର ଆକର,

ବ୍ୟର୍ଥ ମମତାରେ ସିନା ହୁଏଁ ହରବର ।

 

ଗର୍ଭବାସ ପୂର୍ବେ ଥିଲା ଯେଉଁ ଭାବ ଚିତ୍ତେ,

ଘଟନ୍ତା କି ଏହା, ଥିଲେ ସେ ଜ୍ଞାନ କିଞ୍ଚିତେ ।

ଆସିଛି ଯେସନ ଘେନି ଶୂନ୍ୟ ଅପଘନ,

ଯିବି କି ନ ନେଇ କିଛି ଶୂନ୍ୟରେ ତେସନ ।

 

 

ସନ୍ଦେହ ମୋହର ମନ ମଧ୍ୟୁ ତୁଟିଯାଉ,

ଭଗାରୀ ଇନ୍ଦ୍ରୟକୁଳ ନ ସାଧନ୍ତୁ ଦାଉ ।

ନ ହେଉ ବିଫଳ ମୋର ସାଧନା ସ୍ମରଣ,

ଅନୁକ୍ଷଣ ଏ ପରାଣ ନ ଭୁଞ୍ଜୁ କଷଣ ।

 

କୃପାନିଧେ, ସର୍ବାଶ୍ରୟ, ମୁକ୍ତିନିକେତନ,

ସୁଖଦାତା, ମୋକ୍ଷକର୍ତ୍ତା, ସତ୍ୟ, ସନାତନ,

ଅନନ୍ତ, ଅବ୍ୟକ୍ତ, ଦୀନଜନଙ୍କ ପାଳକ,

ସର୍ବଶକ୍ତିମୟ, ଆହେ ଅରକ୍ଷରକ୍ଷକ,

 

ଦୁଖ-ଶୋକ-ଭୟ-ତାପ-କଳୁଷଭଞ୍ଜନ,

ବିଷୟ-ଦୂଷିତ-ନେତ୍ର-ନିର୍ମଳ-ଅଞ୍ଜନ,

ହେ ଅଘମର୍ଷଣ ପ୍ରଭୁ ବିଘ୍ନବିନାଶନ,

ନୁହ ଆଉ ଦୁଃସ୍ଥ ପ୍ରତି ନିର୍ଦୟ ଏସନ ।

 

ଏ ସଂସାର ମହାରଣେ ପଶି ଅକାରଣେ

ବୃଥା ବ୍ୟାଥା ପାଏଁ ପଢ଼ି ସଂଘର୍ଷଣେ ।

କ୍ଷମାଗୁଣେ କ୍ଷମା କର ହେ କ୍ଷମାସଦନ,

କରିଛି ଅସଂଖ୍ୟ ତବ ଆଦେଶ ଲଙ୍ଘନ ।

 

 

ପଥଭ୍ରଷ୍ଟ ହୋଇ ମୁହିଁ ଅବଜ୍ଞାକୁ କରି

ନ ବିଚାରି ସ୍ୱେଚ୍ଛାଚାରେ ହେଲି ଏତେ ସରି ।

ଦାସାନୁଦାସକୁ କଲେ ଏ ସମୟେ ପର,

ଦଶିବଟି ପ୍ରଭୁ, ପ୍ରଭୁପଣେ ଅସୁନ୍ଦର ।

 

ଅପବାଦ ବାଧା ବିଘ୍ନ ଲାଞ୍ଚନେ ଲାଞ୍ଛିତ

ହେଲେ ସୁଦ୍ଧା ନ ଛାଡ଼ିବି ତୁମ୍ଭଙ୍କୁ କିଞ୍ଚିତ ।

ବସିଛି ହରାଇ ସବୁ ଅଛି ମାତ୍ର ଜୀବ,

ସରିଯିବାଯାଏଁ ତାହା ମୋ ଅଳି ନ ଯିବ ।

 

ଅଳୀକ-ଅଳୀକ ଭବେ ସମ୍ପଦ ସନ୍ଦର୍ଭ,

ବେଳୁବେଳ ବଳିଆର ହେଉଅଛି ସର୍ବ ।

ସ୍ମରି ତବ ନାମ କେବା ନୋହିଛି ଉଦ୍ଧାର,

ଏ ଛାରପାଇଁ କିପାଇଁ ହୁଏ ଏ ବିଚାର !

 

ଅଟେ ମୁହିଁ ଦୀନହୀନ ନାହିଁ ପୁଣ୍ୟଧନ,

ମାତ୍ର ମୋର ତନୁ ପ୍ରାଣ କରୁଛି ଅର୍ପଣ ।

ଅଧମତାରଣ ପ୍ରଭୁ, ଏ ଅନାଥ ନରେ

ଏ ବିପଦକାଳେ ଦେଖା ଦିଅ ହେଲେ ଥରେ ।

 

 

ଶରଣରକ୍ଷଣ ବୋଲି ଦୃଢ଼ସଂକଳ୍ପରେ

ଅଛି ନିରାଶାରେ ଆଶା ବାନ୍ଧି ହୃଦୟରେ ।

ଅଣଆୟତ୍ତ ହେଲିଣି ଅଣହେଳାବଶେ,

ଅଣୁମାତ୍ର ଅନୁକମ୍ପା ହେଉ ତବ ବଶେ ( ୧ ) ।

(୧) ଅଭିଳାଷ କିମ୍ବା ଇଚ୍ଛା ।

 

ଏ ଦୀନ ହୃଦୟ କୁଟୀ ମଧ୍ୟେ ଅବତରି

ଅପବିତ୍ରେ ସୁପବିତ୍ର କରାଅ ବିହରି ।

ଯାହାର ମହିମା ଚାରି ବେଦରେ ଅବ୍ୟକ୍ତ,

ବୃଥା ସାହସରେ ତହିଁ ହୋଇଛି ଆସକ୍ତ ।

 

ଆସ ଆସ ପ୍ରଭୁ ଆସ, ପ୍ରେମ ଅଶ୍ରୁନୀରେ

ଧୋଇ ପାଦପଦ୍ମଦ୍ୱନ୍ଦ୍ୱ ପୋଛିଦେବି ଚୀରେ ।

ଅର୍ପି ଭକ୍ତି ଚନ୍ଦନକୁ କ୍ଷୁଦ୍ର ହୃଦସଦ୍ମେ

ପୂଜିବି ସଶ୍ରଦ୍ଧେ ପ୍ରୀତି ଶତଦଳ ପଦ୍ମେ ।

 

ପ୍ରେମ କୁମ୍ଭକ ବ୍ୟଜନେ ବିଞ୍ଚି ମୋ ବାଞ୍ଛିତ-

ଫଳ ହର୍ଷସହକାରେ କରିବି ସଞ୍ଚିତ ।

ଯେଉଁ ମହିମାରୁ ଅନ୍ଧ ହୁଏ ଚକ୍ଷୁଷ୍ମାନ,

ପୁଣି ଆଜନମ ପଙ୍ଗୁ ଲଙ୍ଘେ ସାନୁମାନ ।

 

 

ସେହି ମହିମା ମିହିର କିରଣ କିଞ୍ଚିତ

ଏହି ହତଭାଗ୍ୟ ଶିରେ ନୁହେ ଯା ପତିତ ।

ମୋହୁର ଦୁର୍ଦିନ ଦେଖି ହୋଇଲେ ନୀରବ

ବୃଥା ବଳି ପଡ଼ିବଟି ପର ପରାଭାବ ।

 

ନିରେଖି ନୈଷ୍ଠୁର୍ଯ୍ୟ ତବ ହୋଇ ମୁଁ ଅବଶ,

ଶେଷଦିନ କଥା ଭାବି ଉଡ଼ୁଛି ସାହସ ।

ଶ୍ରୀଛାମୁରେ ବାରମ୍ବାର କରି ନାନା ଅଳି,

ଚଳାଇ କହୁଛି ବେଳ ଯିବ ବୋଲି ବଳି ।

 

ସୁଖ ନିଶୀଥିନୀ ପରେ ଏ ଦୁଃଖ ଦୁର୍ଦିନ

ପ୍ରବେଶି କରିଛି ଆଶା ଭରସା ବିଲୀନ ।

ଏ ସଂସାର ଊର୍ମିମାଳୀ ଆକୁଳ କୂଳରେ

ବାକି ମୋର ଭାଗ୍ୟ-ଊର୍ମି ଫେନାକାର ଧରେ ।

 

ସେ ଉଦ୍ବିଗ୍ନ ତୀରସ୍ଥିତ ଜୀବ ନାଚ ଦେଖି

ବପୁ ଉପକୂଳେ ଅଛି ମମତା ଉପେକ୍ଷି ।

ଅଜ୍ଞାନ ଘୋର ତିମିର ଅନ୍ଧ ନେତ୍ରାଞ୍ଜନ,

ଆତ୍ମାଆରାମ ପରମ ବୈଷ୍ଣବରଞ୍ଜନ ।

 

 

ଅପାର ଦୁସ୍ତର ସିନ୍ଧୁ କରି ସନ୍ତରଣ

ପାର ହୋଇଯିବି ହେଲେ କରୁଣାପ୍ରବଣ ।

ପାପର ପ୍ରବଳ ଜ୍ୱାଳା ସହି ନୁହେ ଆଉ,

ଦେଖି ଦହ୍ୟ ହୁଏ ଦେବ ପ୍ରାଣ ଥାଉ ଥାଉ ।

 

ଧନ୍ୟ ଧନ୍ୟ ଲୀଳାମୟ ଧନ୍ୟ ତବ ଲୀଳା,

ସେହି ଦାହ କର ଶାନ୍ତି ସିଞ୍ଚି ଦୟା-ଲଜା । (୧)

(୧) ଜଳ ।

ଯାହା ଇଚ୍ଛା କର ତାହା ଦରିଦ୍ରସଙ୍ଖାଳି,

ମାତ୍ର ପାପ-ପଙ୍କ ଥରେ ଦିଅ ହେ ପ୍ରକ୍ଷାଳି ।

 

କିପାଁ ମାୟା-ରଙ୍ଗାଳୟେ ଭ୍ରମ-ମଞ୍ଚୋପରି

ଟାଙ୍ଗି ଶୂନ୍ୟ-ଯବନିକା କରୁଛି ଶାମ୍ବରୀ ।

ତୃଷିତ ଚାତକ ପରି ବଦନ ବିସ୍ତାରି

ଅଛି ପ୍ରାପ୍ତ୍ୟାଶାରେ ତବ କୃପାଘନ ବାରି ।

 

ନ ବୁଝି ଏ ମନ ତବ ବାହ୍ୟଭାବ ମାୟା

ମୋକ୍ଷଛାୟା ଛାଡ଼ି ଲୋଡ଼େ ତମୋଗୁଣ ଛାୟା ।

ହୋଇଛି ମାନସ ମତ୍ତ କରୀନ୍ଦ୍ର ସଦୃଶ,

ହେବ କି ନୋହିଲେ ବଶ ମହିମା-ଅଙ୍କୁଶ ।

 

 

ତାହାର ସଂଯମ ଯଦି ଥାଅନ୍ତା ଈଷିତ,

ଷଡ଼୍ରିପୁ ଷଡ଼୍‌ଯନ୍ତ୍ରେ କିପାଁ ହୁଅନ୍ତି ଲାଞ୍ଛିତ ।

ନିକୁଚ୍ଛ ମନକୁ କେତେ ରିଝାଇ ରିଝାଇ

କହିଲେହେଁ କି କାରଣ ବୁଝାଇ ବୁଝାଇ ।

 

ପ୍ରସରଣ ଅଧୀନସ୍ଥ ହୋଇ ହୀନ ମନ

ଆପେ ମରି ଅପରକୁ କରିବ ନିଧନ ।

ସେହି ଏକା ଅଟେ ସର୍ବ ଅନିଷ୍ଟ କାରଣ,

ଭଲ ହୋଇଥିଲେ କିପାଁ ଗ୍ରାସନ୍ତା କଷଣ ।

 

ତିଳେହେଁ ତାହାର ସିନା ନାହିଁ ଦୃଢ଼ପଣ,

ନିଜେ ନିଜେ ଦୁଃଖ ଶୋକ କରେ ଆମନ୍ତ୍ରଣ ।

ସେ ମନ ନାହିଁ କି ଜାଣି ଅଛି ଯେଉଁ ଘୁରେ,

ସେ ଘର ଭାଙ୍ଗିବା ଇଚ୍ଛି ବେଢ଼ିଛନ୍ତି ପରେ ।

 

ଯେସନେ ବାଳକ ଖେଳେ ସ୍ୱପ୍ରତିବିମ୍ବରେ,

ତେସନେ ସ୍ୱଛାୟା ଦେଖେ ଭ୍ରାନ୍ତି-ମୁକୁରରେ ।

ଭାଗ୍ୟ-ନଭେ ମୋର ସୁଖ-ବିଜୁଳି ଖେଳାଇ,

ଦୁଃଖ ଇନ୍ଦ୍ରଚାପ ରଙ୍ଗେ ନ ଦିଅ ନିଭାଇ ।

 

 

ଦେଖାଇଣ ନିଜାଲୋକ ମୋ ଚିତ୍ତଜନିତ-

ଦୁଃଖ ତମଃ ସମୂଳରେ କର ତିରୋହିତ ।

ପରମାଣୁରୂପୀ ଚିତ୍ର କରମକଳାପି,

ଅପରିମେୟ ଅଜ୍ଞେୟ ଅଟ ଜଗଦ୍ୟାପୀ ।

 

ଜଳ ସ୍ଥଳ ବାତ ଗିରି ଆକାଶ ମହାନ,

ଦୃଶ୍ୟାଦୃଶ୍ୟ ଲୀଳାବଶେ କରିଛ ନିର୍ମାଣ ।

ପୁଣି ଯେତେ ଗୁରୁ ଲଘୁ ପଦାର୍ଥ ବିଦିତ,

ଯଥାସ୍ଥାନେ ଖଞ୍ଜିଛ ତ କରି ନିୟମିତ ।

 

ତରୁ ଗୁଳ୍ମ ଆଦି ବହୁ ରଙ୍ଗର ମାଧୁରୀ,

କି ବିଚିତ୍ର ଅଟେ ତବ ମୂଷ୍ଠିର ଚାତୁରୀ ।

ହେ ବିଶ୍ୱବିନ୍ଧାଣି, ବିଶ୍ୱକର୍ମା ସର୍ବଭୂତ,

ଭାବୁକ ଭାବନାତୀତ ସର୍ବତ୍ର ଆଦୃତ ।

 

ସିନ୍ଧୁ ଚନ୍ଦ୍ର ସୂର୍ଯ୍ୟ ତାରା ସମୀର ପ୍ରଭୃତି

ଅଟନ୍ତି ସିନା ତୁମ୍ଭର ମହିମା ଆକୃତି ।

ଗିରି ଗୁହା ବନ ଶୋଭା ଉପଭୋଗପାଇଁ

ପଶୁ ବିହଙ୍ଗ କୀଟାଦି ରଖିଛ ଯୋଗାଇ ।

 

 

କେଳି କ୍ରିୟା କଳ୍ପନାରେ ଚଳନ ପିଞ୍ଜର

ଜୀବାତ୍ମାର ଅନ୍ତଃପୁର ନିର୍ମିତ ତୁମ୍ଭର ।

ପୁଣି ଅବୟବ ଆଦି ଖଞ୍ଜିତ ରଞ୍ଜିତ

କରିଛି କି ଚମତ୍କାରେ ବିଚିତ୍ର ଚିତ୍ରିତ ।

 

ବକ୍ର ଚକ୍ଷୁ ନାସା ଶ୍ରୋତ୍ର ଦଶନ ରସନା

ନଖ କେଶ ହୃଦ ପଦ କଲ କି ଯୋଜନା ।

ଶୋଣିତ ଆଧାର ପୁଣି ଜଳାଧାରାବଳୀ,-

ସହ ସ୍ଥିତ ଜଠରାଗ୍ନି ସ୍ନାୟୁ ବକ୍ଷସ୍ଥଳୀ ।

 

କରି ଛନ୍ଦାଛନ୍ଦି ଶିରା ପରେ ଶିରାମାନ

ସୁଷୁମ୍ନା ଧମନୀ ମଜ୍ଜା ରଖିଛ ସମାନ ।

ତୁମ୍ଭର ବିଚିତ୍ର ଚିତ୍ର କର୍ମାଦି ସକଳ

ଅନନ୍ତ ଅବ୍ୟକ୍ତ ପୁଣି ଅଚିନ୍ତ୍ୟ କେବଳ ।

 

ଯେଣୁ ମୁହିଁ ଅଜ୍ଞ ତେଣୁ ଅଣୁମାତ୍ର ତାହା

ପାରିବି କେମନ୍ତେ ବର୍ଣ୍ଣି ଅବର୍ଣ୍ଣିତ ଯାହା ।

ସମସ୍ତଙ୍କୁ ସିନା ବଶ କରୁଛି ନିୟତି,

ମାତ୍ର ତାହା ଅଟେ ତବ ଆଜ୍ଞାବଶବର୍ତ୍ତୀ ।

 

 

ଚାକ୍ଷୂଷ ମୂରତି ସର୍ବ ଭାବି ତବ ମୂର୍ତ୍ତି

ତଥ୍ୟ କିଛି ନ ପାଇଲି ଖୋଜି ଚାରି ଶ୍ରୁତି ।

ନୟନ-ଗହରୁ ଶୋକ-ଅଶ୍ରୁ ପ୍ରସ୍ରବଣ

ଝରି ମୋର ବକ୍ଷ କ୍ଷେତ୍ର କରୁଛି ପ୍ଳାବନ ।

 

ନୁଦ ଭୀରୁ ମୋ ସନ୍ତପ୍ତ ଶୋକାଶ୍ରୁଉଦକ

ଲାଗିଂତବ ପଦେ ହେବ ବୋଲି ବିଷ୍ଫୋଟକ ।

କୃପାମ୍ଭୁ ସେ ତପ୍ତାଶ୍ରୁରେ ହୋଇଲେ ମିଶ୍ରିତ,

ତପ୍ତ ଲବଣାକ୍ତ ଭାବ ହେବ ଅନ୍ତର୍ହିତ ।

 

ନ କନ୍ଦାଅ ପ୍ରଭୁ ମୋତେ ଆଉ ଏପ୍ରକାର,

ମାଗୁଣି ଏତିକି ମାତ୍ର ମୋର ବାରମ୍ବାର ।

ଏପରି ସର୍ବଦା ହେବାଠାରୁ କଲବଲ

ବରଞ୍ଚ ଅକାଳେ ମୃତ୍ୟୁ ଅଟେ ବଡ଼ ଭଲ ।

 

ବଳି ପଡ଼ିବାରୁ ସିନା ଦୁର୍ଭାର ବେଦନା,

ଅର୍ପୁଛି ଛାମୁରେ ତବ ଏ ମୋର ପ୍ରାର୍ଥନା ।

 

ସମାପ୍ତ